ମୁମ୍ଵାଇ ୧୧।୧୨; ଅଭିନେତା ତଥା ହାସ୍ୟ ଅଭିନେତା ସୁନୀଲ ପାଲଙ୍କ ଅପହରଣ ମାମଲା ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ସେପଟେ ଅନ୍ୟ ଜଣେ ଅଭିନେତାଙ୍କ ଅପହରଣ ମାମଲା ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ୟୁପିର ବିଜନୋର ଜିଲ୍ଲାରେ ଅଭିନେତା ତଥା ହାସ୍ୟ ଅଭିନେତା ମୁସ୍ତାକ ଖାନଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିଲେ। ଏକ କାର୍ଯ୍ୟକ୍ରମ ପାଇଁ ମୁସ୍ତାକ ବିଜନୋରକୁ ଆସିଥିଲେ। ଅପହରଣକାରୀମାନେ ତାଙ୍କୁ ରାଜପଥରୁ ଉଠାଇ ବନ୍ଧକ ରଖିଥିଲେ। ଅଭିନେତାଙ୍କୁ ମୁକ୍ତ କରିବା ବଦଳରେ ଅପହରଣକାରୀମାନେ ୨ଲକ୍ଷ ଟଙ୍କା ଜବତ କରିଛନ୍ତି।
ମୁସ୍ତାକ୍ କୌଣସି ପ୍ରକାରେ ଅପହରଣକାରୀଙ୍କୁ ଘଉଡାଇବାରେ ସଫଳ ହୋଇ ନିକଟସ୍ଥ ଏକ ମସଜିଦରେ ପହଞ୍ଚି ସେଠାରେ ସାହାଯ୍ୟ ଲୋଡିଥିଲେ। ମୌଲବିଙ୍କ ସାହାଯ୍ୟରେ ଅଭିନେତା ମୁମ୍ବାଇରେ ପହଞ୍ଚିଥିଲେ । ବର୍ତ୍ତମାନ ତାଙ୍କ ଅଭିଯୋଗ ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ବିଜନୋର ପୋଲିସର ସୂଚନାନୁସାରେ, ଅଭିନେତା ମୁସ୍ତାକ ଖାନଙ୍କୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମେରୁଟ ନିବାସୀ ରାହୁଲ ସାଇନି ନାମକ ଜଣେ ବ୍ୟକ୍ତି ନିମନ୍ତ୍ରଣ କରିଥିଲେ। ଏଥିପାଇଁ ତାଙ୍କୁ ୫୦ ହଜାର ଟଙ୍କା ପୂର୍ବରୁ ମଧ୍ୟ ଦିଆଯାଇଥିଲା। ନଭେମ୍ବର ୨୦ରେ ଅଭିନେତା ମୁସ୍ତାକ ମୁମ୍ବାଇରୁ ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିଥିଲେ। ସେ କ୍ୟାବ ଯୋଗେ ଦିଲ୍ଲୀ ବିମାନବନ୍ଦରରୁ ମେରୁଟ ଅଭିମୁଖେ ଯାତ୍ରା କରିଥିଲେ।
ସୂଚନା ମୁତାବକ, ଅପହରଣ ପରେ ଅପହରଣକାରୀମାନେ ଅଭିନେତାଙ୍କୁ ବିଜନୌର ନେଇଯାଇଥିଲେ ଓ ତାଙ୍କଠାରୁ ବଳପୂର୍ବକ ଅର୍ଥ ଆଦାୟ କରିଥିଲେ । ମୁସ୍ତାକ ଖାନଙ୍କୁ ସେମାନେ ମାରପିଟ୍ ମଧ୍ୟ କରିଥିବା ଜଣାପଡ଼ିଛି । ନିକଟରେ କମେଡ଼ିଆନ ସୁନୀଲ ପାଲଙ୍କ ଅପହରଣ ଘଟଣା ଉପରୁ ପରଦା ହଟି ନଥିବା ବେଳେ ପୁଣି ଜଣେ କଳାକାରଙ୍କ ସହ ଏପରି ଘଟିଛି । ଏହି ଘଟଣା ପରେ ମୁସ୍ତାକ ଏକ ମାମଲା ଦାୟର କରିଛନ୍ତି ।